ଓଡ଼ିଆ ଭାଷାର ସମୃଦ୍ଧ ଶବ୍ଦଭଣ୍ଡାରରେ 'ଯାଚ୍ଞା' ଏକ ଗୁରୁତ୍ୱପୂର୍ଣ୍ଣ ସଂସ୍କୃତ ମୂଳକ ଶବ୍ଦ ଅଟେ। ଏହି ଶବ୍ଦର ନିରୁକ୍ତି ଓ ବହୁମୁଖୀ ଅର୍ଥ ଵିଚାର କଲେ ଭାଷାର ଗଭୀରତା ଓ ସୂକ୍ଷ୍ମତା ପ୍ରକାଶ ପାଏ।
'ଯାଚ୍ଞା' ଶବ୍ଦଟି ସଂସ୍କୃତ ଭାଷାରୁ ଓଡ଼ିଆରେ ଗୃହୀତ ହୋଇଛି। ଏହା ଏକ ସ୍ତ୍ରୀଲିଙ୍ଗ ବିଶେଷ୍ୟ ପଦ। ଶବ୍ଦଟିର ମୂଳରେ ରହିଛି 'ଯାଚ' ଧାତୁ, ଯାହାର ଅର୍ଥ ହେଉଛି ଯାଚଞା କରିଵା ଵା ମାଗିଵା। ଏହି ଧାତୁ ସହିତ ଭାଵଵାଚକ 'ନ' ପ୍ରତ୍ୟୟ ଓ ସ୍ତ୍ରୀଲିଙ୍ଗ 'ଆ' ପ୍ରତ୍ୟୟ ଯୋଗ ହୋଇ ନିପାତନ ପ୍ରକ୍ରିୟା ମାଧ୍ୟମରେ 'ଯାଚ୍ଞା' ଶବ୍ଦଟି ଗଠିତ ହୋଇଛି। ଏଠାରେ ନିପାତନର ଅର୍ଥ ହେଉଛି ଧାତୁରେ ସ୍ୱର ପରିଵର୍ତ୍ତନ ସହିତ ଶବ୍ଦ ଗଠନ।
ଵୈଦିକ ଯୁଗରେ ଯାଚ୍ଞା ଶବ୍ଦର ପ୍ରଥମ ଵ୍ୟଵହାର ତୈତ୍ତିରୀୟ ସଂହିତା ଆଦି ବ୍ରାହ୍ମଣ ଗ୍ରନ୍ଥମାନଙ୍କରେ ମିଳିଥାଏ । ସେଠାରେ ଏହାର ପ୍ରଧାନ ଅର୍ଥ ଥିଲା ଭିକ୍ଷା ମାଗିଵା କିମ୍ବା କାହାଠାରୁ କିଛି ପ୍ରାର୍ଥନା କରିଵା । ଋଗ୍ବେଦ ଓ ଅଥର୍ଵଵେଦରେ ଏହି ଧାତୁର ରୂପ ଦେଖାଯାଏ କିନ୍ତୁ ଯାଚ୍ଞା ଶବ୍ଦ ନିଜେ ବହୁଳ ଵ୍ୟଵହୃତ ନୁହେଁ । ଵୈଦିକ ସମାଜରେ ଯଜ୍ଞ ଓ ଦାନ ପ୍ରଧାନ ଥିଵାରୁ ଯାଚନାର ସ୍ଥାନ କମ୍ ଥିଲା କିନ୍ତୁ ବ୍ରାହ୍ମଣ ଗ୍ରନ୍ଥଗୁଡ଼ିକରେ ଏହା ଭିକ୍ଷା ଓ ଅନୁରୋଧର ରୂପରେ ଆରମ୍ଭ ହୋଇଥିଲା । ଏହି ସମୟରେ ଏହା ମୁଖ୍ୟତଃ ମନୁଷ୍ୟ ଠାରୁ ମନୁଷ୍ୟକୁ କିମ୍ବା ଦୈନନ୍ଦିନ ପ୍ରାର୍ଥନାର ଅର୍ଥରେ ଵ୍ୟଵହୃତ ହେଉଥିଲା । ପରେ ଉପନିଷଦ୍ ଓ ସ୍ମୃତି ଯୁଗରେ ଯାଚ୍ଞାର ଅର୍ଥ କିଛି ଵିସ୍ତୃତ ହେଲା । ସନ୍ନ୍ୟାସ ଓ ବ୍ରହ୍ମଚର୍ଯ୍ୟ ଆଶ୍ରମର ନିୟମ ଅନୁସାରେ ଭିକ୍ଷାଵୃତ୍ତି ଏକ ସ୍ବୀକୃତ ଜୀଵନପଦ୍ଧତି ହୋଇଥିଵାରୁ ଯାଚ୍ଞା ଶବ୍ଦ ଭିକ୍ଷା ମାଗିଵାର ଵିଶେଷ ଅର୍ଥ ଗ୍ରହଣ କଲା । ଏହାକୁ ଯାଚ୍ଞା-ଜୀଵନମ୍ କୁହାଯାଇଥିଲା ଅର୍ଥାତ୍ ଯାଚନା ଦ୍ୱାରା ଜୀଵନ ଯାପନ । ମନୁସ୍ମୃତି ଓ ଅନ୍ୟ ଧର୍ମଶାସ୍ତ୍ରରେ ଏହାର ଉଲ୍ଲେଖ ଭିକ୍ଷୁ ଜୀଵନର ଅଂଶ ଭାବରେ ମିଳେ । ପରଵର୍ତ୍ତୀ କାଳରେ ଵିଵାହ ପ୍ରସଙ୍ଗରେ ଯାଚ୍ଞା କନ୍ୟା ମାଗିଵାର ଅର୍ଥରେ ମଧ୍ୟ ଵ୍ୟଵହୃତ ହେଵାକୁ ଲାଗିଲା । ବରପକ୍ଷରୁ କନ୍ୟାପକ୍ଷକୁ ଯାଚନା କରିଵା ଏକ ସମ୍ମାନଜନକ ପ୍ରଥା ଭାବରେ ପ୍ରଚଳିତ ହେଲା ଯାହା ପୁରାଣ ଓ ସ୍ମୃତି ଗ୍ରନ୍ଥମାନଙ୍କରେ ଦେଖାଯାଏ ।
ଶାସ୍ତ୍ରୀୟ ସଂସ୍କୃତ ସାହିତ୍ୟରେ ଯାଚ୍ଞାର ଵ୍ୟଵହାର ଆହୁରି ବିସ୍ତୃତ ହେଲା । କାଳିଦାସଙ୍କ ମେଘଦୂତରେ ଏକ ପ୍ରସିଦ୍ଧ ଶ୍ଲୋକ ଅଛି – ଯାଚ୍ଞା ମୋଘା ଵରମଧିଗୁଣେ ନାଧମେ ଲବ୍ଧକାମା । ଏହାରେ ଯାଚ୍ଞାକୁ ଏକ ସାଧାରଣ ଅନୁରୋଧ କିମ୍ବା ପ୍ରାର୍ଥନା ରୂପରେ ଦର୍ଶାଯାଇଛି ଯେ ଶ୍ରେଷ୍ଠ ଗୁଣଯୁକ୍ତ ଵ୍ୟକ୍ତିଠାରୁ ଯାଚନା ନିଷ୍ଫଳ ହେଲେ ମଧ୍ୟ ତାହା ଉତ୍ତମ କିନ୍ତୁ ନିମ୍ନଗୁଣୀ ଠାରୁ ପାଇଵା ଅପେକ୍ଷା ନିଷ୍ଫଳ ଯାଚନା ଭଲ । ହିତୋପଦେଶ ଓ ଅନ୍ୟ କାଵ୍ୟ ଗ୍ରନ୍ଥାଦିରେ ଏହା ଭିକ୍ଷା, ଅନୁରୋଧ, ପ୍ରାର୍ଥନା ଓ ଅନୁନୟ ଵା ଆକୁଳ ନିଵେଦନ ଅର୍ଥରେ ଵ୍ୟଵହୃତ । ପୁରାଣ ଯୁଗରେ ଏହା ଦେଵତାଙ୍କ ନିକଟରେ ପ୍ରାର୍ଥନାର ଅର୍ଥରେ ମଧ୍ୟ ଵ୍ୟଵହୃତ ହୋଇଥିଲା । କ୍ରମେ ଅଯାଚ୍ଞା (ayācñā) ଶବ୍ଦ ମଧ୍ୟ ପ୍ରଚଳିତ ହେଲା ଯାହା ଯାଚନା ନକରିଵା କିମ୍ବା ଅଯାଚିତ ଭାବରେ ପ୍ରାପ୍ତିର ଅର୍ଥ ଵହନ କରେ । ଏହି ଵିକାଶ ସଂସ୍କୃତ ସାହିତ୍ୟର ଵିଵିଧତା ଓ ସାମାଜିକ ପରିଵର୍ତ୍ତନକୁ ପ୍ରତିଫଳିତ କରେ ଯେଉଁଠାରେ ଵୈଦିକ ଯଜ୍ଞପ୍ରଧାନ ସମାଜରୁ ଆଶ୍ରମ ଵ୍ୟଵସ୍ଥା ଓ କାଵ୍ୟିକ ସୌନ୍ଦର୍ଯ୍ୟ ପ୍ରଧାନ ସମାଜକୁ ପରିଵର୍ତ୍ତନ ହେଲା ।
ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ 'ଯାଚ୍ଞା' ଶବ୍ଦର ତିନୋଟି ମୁଖ୍ୟ ଅର୍ଥ ଉଲ୍ଲେଖ ଅଛି । ଏହା ପ୍ରଥମ ଓ ମୂଳ ଅର୍ଥଟି ହେଉଛି ମାଗିଵା ବା ଭିକ୍ଷା କରିଵା । ଏହା ଭିକ୍ଷାଵୃତ୍ତିକୁ ବୁଝାଏ। ରାଧାନାଥଙ୍କ ମହାଯାତ୍ରା କାବ୍ୟରେ ଏହାର ସୁନ୍ଦର ପ୍ରୟୋଗ ଦେଖିଵାକୁ ମିଳେ - "ଗୋଡ଼ାନ୍ତି ସଙ୍ଗତ ଯାଚଞା ପଟୁ ବଟୁଦଳ।" ଏଠାରେ ବଟୁ ଵା ସନ୍ନ୍ୟାସୀମାନଙ୍କର ଭିକ୍ଷା ମାଗିଵା କ୍ରିୟାକୁ ଯାଚ୍ଞା କୁହାଯାଇଛି।
ଦ୍ୱିତୀୟ ଅର୍ଥରେ 'ଯାଚ୍ଞା' ଶବ୍ଦଟି ଵିନୀତ ଅନୁରୋଧ ଵା ପ୍ରାର୍ଥନାକୁ ପ୍ରକାଶ କରେ। ଏଠାରେ ଶବ୍ଦଟି ଅଧିକ ସମ୍ମାନଜନକ ଓ ଆଧ୍ୟାତ୍ମିକ ଭାବ ପ୍ରକାଶ କରେ। ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କିମ୍ବା କୌଣସି ଵିଷୟରେ ଵିନମ୍ର ଅନୁରୋଧକୁ ଏହି ଅର୍ଥରେ ଯାଚ୍ଞା କୁହାଯାଇପାରେ।
ତୃତୀୟ ଓ ବିଶେଷ ପ୍ରୟୋଗରେ 'ଯାଚ୍ଞା' ଶବ୍ଦଟି କନ୍ୟାକୁ ଵିଵାହ କରିବା ପାଇଁ ପ୍ରସ୍ତାବ ଦେଵାକୁ ବୁଝାଏ। ଏହା ସାମାଜିକ ପରିପ୍ରେକ୍ଷୀରେ ଏକ ଗୁରୁତ୍ୱପୂର୍ଣ୍ଣ ଅର୍ଥ, ଯେଉଁଠାରେ ଵିଵାହ ପ୍ରସ୍ତାଵକୁ ଏକ ଵିନୀତ ନିଵେଦନ ଭାବେ ଦେଖାଯାଏ ।
'ଯାଚ୍ଞା' ଶବ୍ଦର ଵିଶ୍ଳେଷଣରୁ ସ୍ପଷ୍ଟ ହୁଏ କି କିପରି ଗୋଟିଏ ସରଳ ଧାତୁ 'ଯାଚ' ରୁ ଵିଭିନ୍ନ ସାମାଜିକ, ଆଧ୍ୟାତ୍ମିକ ଓ ସାଂସ୍କୃତିକ ଅର୍ଥ ପ୍ରକାଶ କରୁଥିଵା ଏକ ସମୃଦ୍ଧ ଶବ୍ଦର ସୃଷ୍ଟି ହୋଇଛି। ଭିକ୍ଷା ମାଗିଵାର ସରଳ କ୍ରିୟାରୁ ଆରମ୍ଭ କରି ଈଶ୍ୱରୀୟ ପ୍ରାର୍ଥନା ଓ ଵିଵାହ ପ୍ରସ୍ତାଵ ପର୍ଯ୍ୟନ୍ତ ଏହାର ଅର୍ଥ ଵିସ୍ତାର ଏ ଶବ୍ଦର ଵ୍ୟଵହାର ଇତିହାସ ସହିତ ଭାରତୀୟ ସମାଜରେ ସମୟ ସହିତ ହୋଇଥିଵା ସାମାଜିକ ପରିଵର୍ତ୍ତନର କାହାଣୀ ମଧ୍ୟ ପ୍ରକାଶ କରିଥାଏ । ପ୍ରତ୍ୟେକ ଶବ୍ଦ ପଛରେ ଏହିପରି ଗୋଟିଏ ଗୋଟିଏ କାହାଣୀ ରହିଛି ଏଵଂ ସେ କାହାଣୀମାନ ଆମ ପ୍ରାଚୀନ ସମାଜର ଏକ ଚିତ୍ର ପ୍ରଦାନ କରିଥାଏ ।